ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ସ୍ଥାନ ପରିବର୍ତ୍ତନ ଏବଂ ପରେଡ୍‌ ବନ୍ଦ ନିଷ୍ପତ୍ତି ନେଇ ବିଜେପି-ବିଜେଡି ମୁଁହାମୁହିଁ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ସ୍ଥାନ ପରିବର୍ତ୍ତନ ଏବଂ ପରେଡ୍‌ ବନ୍ଦ ନିଷ୍ପତ୍ତି ନେଇ ବିଜେପି-ବିଜେଡି ମୁଁହାମୁହିଁ
Spread the love

ଭୁବନେଶ୍ୱର: ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ପାଇଁ ସ୍ଥାନ ପରିବର୍ତ୍ତନ କରିବା ଏବଂ ଗଣ ପରେଡ୍‌ ବନ୍ଦ କରିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇ ବାଦାନୁବାଦ ସୃଷ୍ଟି ହୋଇଛି। ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଭାରତୀୟ ଜନତା ପାର୍ଟି ଏଥି ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି । ଅନ୍ୟ ପକ୍ଷରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଏହି ନିଷ୍ପତ୍ତି ଯଥାର୍ଥ ବୋଲି କୁହାଯାଇଛି।

ଆଜି ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ,ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରାଯାଏ। ଏଥିରେ ରାଜ୍ୟ ପୁଲିସ ବାହିନୀ, ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ସ୍କୁଲ କଲେଜ୍‌ର ଛାତ୍ରଛାତ୍ରୀମାନେ ଭାଗ ନେଇଥାନ୍ତି। ଏହି ଅବସରରେ ସ୍ୱାଧୀନତା ସଂପର୍କିତ ବିଭିନ୍ନ ଯୋଜନା ଏବଂ ଅନେକ ବିକାଶ ମୂଳକ ଯୋଜନା ଉପରେ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥାଏ।

କିନ୍ତୁ କୌଣସି କାରଣ ନଥାଇ ରାଜ୍ୟ ସରକାର ଗଣ ପରେଡ୍‌କୁ ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ରାଜ୍ୟ ସରକାର ବିଗତ ୭୨ ବର୍ଷ ଧରି ରହୁଥିବା ରାଜ୍ୟ ସ୍ତରୀୟ ସ୍ୱାଧୀନତା ପାଳନର ସ୍ଥାନକୁ ପରିବର୍ତ୍ତନ କରିବା ସହ ଗଣ ପରେଡ ବନ୍ଦ କରିବା ଦ୍ୱାରା ସ୍ୱାଧୀନତା ଦିବସର ପରମ୍ପରା ଭଂଗ ହୋଇଛି। କେଉଁ କାରଣ ପାଇଁ ଏହାକୁ ବନ୍ଦ କରାଯାଇଛି ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଭାଜପା ସାଧାରଣ ସଂପାଦକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡ଼ା ହୋଇପାରିବେ ନାହିଁ ବୋଲି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି କି ବୋଲି ସେ ପ୍ରଶ୍ନକରି ଏହାର ଜବାବ ମାଗିଛନ୍ତି।

ଅନ୍ୟପକ୍ଷରେ ବିଜୁ ଜନତା ଦଳ ମୁଖପାତ୍ର ସସ୍ମିତ ପାତ୍ର ଉପରୋକ୍ତ ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ କରି କହିଛନ୍ତି ଯେ,ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ପରେଡ଼ ଢାଞ୍ଚାରେ ଓଡ଼ିଶାରେ ମଧ୍ୟ ଜନରାଜ୍ୟ ଦିବସ ଓ ସ୍ୱାଧୀନତା ଦିବସ ପରେଡ଼ କରାଯିବା ପାଇଁ ଏଥର ନିଷ୍ପତ୍ତି କରାଯାଇଛି। ଜନରାଜ୍ୟ ଦିବସ ଦିନ ରାଷ୍ଟ୍ରପତି ସେନାବାହିନୀଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ସ୍ୱାଧୀନତା ଦିବସ ଦିନ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥାନ୍ତି। ରାଜ୍ୟ ସରକାର ଜାତୀୟ ସ୍ତରରେ ମଡେଲ ଅନୁକରଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ଜନତା ପାର୍ଟି ଓ ଏହାର ନେତା ଶ୍ରୀ ହରିଚନ୍ଦନ ଏହା ହୃଦୟଙ୍ଗମ କରି ନ ପାରିବା ଦୁଭାର୍ଗ୍ୟର ବିଷୟ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସେହିପରି ଚଳିତ ବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଥିବାରୁ ରାଜ୍ୟ ସରକାର ଦେଶର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ଏବଂ ଓଡ଼ିଶାର ଭୂମିକା ମନେ ପକାଇବା ଲାଗି ପ୍ରଦର୍ଶନୀ ପଡ଼ିଆରେ ଏକ ବଡ଼ଧରଣରର ପ୍ରଦର୍ଶନୀ ଆୟୋଜନ କରୁଛନ୍ତି। ତେଣୁ ସ୍ୱାଧୀନତା ଦିବସ ଏବଂ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଏକ ସ୍ଥାନରେ ପାଳନ କରିବା ଉଚିତ ହେବ ଏବଂ ଏଥିପାଇଁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆ ପ୍ରକୃଷ୍ଟ ସ୍ଥାନ ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

Admin

Admin

9909969099
Right Click Disabled!